କବିତା
ନୀଳ ନୀଳିମାର ବିଭାବରୀ ଧର
ଜହ୍ନ ପାଖେ ମନ ଗଲା ଅଟକି
ସ୍ୱପ୍ନର ସହରେ ନିଶୀଥ ପ୍ରହରେ
ଆନମନା ହୃଦ ଗଲା ଭଟକି ।
ପୂର୍ଣ୍ଣ ନିଶିକାନ୍ତ ଜ୍ୟୋତ୍ସ୍ନା ବିଧଉତ
ରଜନୀର ସୁଶୀତଳ କୋଳରେ
ପ୍ରସ୍ଫୁଟିତ କଲି ହସି ଖିଲିଖିଲି
ସମୀରଣ ସାଥେ ଖେଳେ ଦୋଳିରେ ।
କୁମୁଦିନୀ ସୁଖେ ନେତ୍ର ମେଲି ଦେଖେ
ପ୍ରଣୟର ଗୀତ ଗୁଞ୍ଜନ କରି
ଯେତେ ଦୂରେ ଥାଅ ତୁମ୍ଭେ ପଛେ ପ୍ରିୟ
ଦୂରୁ ଦେଖି ମନ ଯାଉଛି ପୂରି ।
ଆଣିଅଛି ଜହ୍ନ ପ୍ରୀତିର ସମନ
ଭିଜାଭିଜା ଏଇ ନିରୋଳା ବେଳେ
ସ୍ନିଗ୍ଧ କିରଣରେ ଆଙ୍କେ ତିରଣରେ
ତୁମ ଛବି ଦେଖି ମନର ତଳେ ।
ଜହ୍ନ ଯେବେ ଲୁଚେ ବଉଦର ପଛେ
କୁମୁଦିନୀ ଖୋଜେ ଆତୁର ମନେ
ତୁମେ ଯେବେ ଦୂରେ ନଥାଅ ପାଖରେ
ଲୋତକ ଢାଳେ ମୁଁ ନିଶି ବିଜନେ ।
ଜୋଛନା ପଣତ ମନ୍ଦମନ୍ଦ ବାତ
ପୀରତିର ମଧୁର ତରଙ୍ଗିଣୀ
ସୁମନ ସମ୍ଭାର ବାସରେ ବିଭୋର
ହୋଇ ଭାସିଯାଏ ମନ ତରଣୀ ।
ନିଶିନାଥ କରେ ତଟିନୀ ବୁକୁରେ
ଉଇଁଛି ପ୍ରେମର ପ୍ରତୀକ ଛବି
ସାଗର ସୈକତେ ବସି ମୁଁ ଏକାନ୍ତେ
ଲେଖେ ହୃଦୟର ଆଳାପ ଭାବି ।
କଥା କହେ ଜହ୍ନ ନକ୍ଷତ୍ର ମଉନ
ତିମିର ଆଚ୍ଛନ୍ନ ନଭ ଛାତିରେ
ମଧୁରିମା ତା'ର ଅଙ୍ଗଝରା କର
ବିହ୍ୱଳ କରେ ଏ ରାତି ପ୍ରୀତିରେ ।